ଗୋଖାଦ୍ୟ ବୋଝେଇ ଗାଡ଼ିରୁ ୮୦୦ କେଜି ଗଂଜେଇ ଜବତ କଲା ଗୁଣୁପୁର ପୋଲିସ

ଗୋଖାଦ୍ୟ ବୋଝେଇ ଗାଡ଼ିରୁ ୮୦୦ କେଜି ଗଂଜେଇ ଜବତ କଲା ଗୁଣୁପୁର ପୋଲିସ

ରାୟଗଡା ୩୦/୦୫(ନି ପ୍ର ) : ଗଞ୍ଜେଇ ଚୋରାଚାଲାଣ ଚରାଭୂଇଁ ପାଲଟିଛି ଗୁଣୁପୁର । କେତେବେଳେ ବାଇକ୍ ରେ ଚାଲାଣ ହେଉଛି ତ କେତେବେଳେ ମେକ୍ସପିକଅପ ଗାଡିରେ ଆଉ ଏବେ ୧୬ ଚିକିଆ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଗୋଖାଦ୍ୟ ସହ ଗଞ୍ଜେଇ ବୋଝେଇ କରି ଏକ ୧୬ ଚକିଆ ଟ୍ରକ୍ ଗଜପତୀ ଓ ରାୟଗଡା ସିମାନ୍ତ ଅଞ୍ଚଳରୁ ଗୁଣୁପୁର ଅଭିମୁଖେ ଆସୁଥିଲା । ଗୁଣୁପୁର ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଆଦର୍ଶ ଥାନା ସମ୍ନୁଖରେ ଚଢାଉ କରିଥିଲା ।ଗାଡିରେ ଗୋଖାଦ୍ୟ ସହ ଗଞ୍ଜେଇ ଥିବା ଜାଣିପାରି ଗାଡିକୁ ଜବତ କରି ପୋଲିସ ପଚରାଉଚୁରା ଜାରି ରଖିଥିଲା । ଏହି ସମୟରେ ଟ୍ରକରୁ ୨୯ଟି ବ୍ୟାଗ୍ ରେ ୮୦୦ ରୁ ଉର୍ଦ୍ଧ୍ବ କେଜି ଗଞ୍ଜେଇ ଜବତ କରିବା ସହ ୫୧୬ଟି ଜରିବ୍ୟାଗ୍ ଭର୍ତ୍ତି ଗୋଖଦ୍ୟ ଥିବା କହିଛି ପୋଲିସ । ଟ୍ରକ୍ ସହ ଦୁଇଟି ମୋବାଇଲ୍ ଫୋନ, ୭୧୦୦ ଟଙ୍କା ଜବତ କରିବା ସହ ଗାଡି ଚାଳକ ଓ ସହଯୋଗୀ ଦୁଇଜଣକୁ ଗିରଫ କରିଛି ପୋଲିସ ।ଗଞ୍ଜେଇ ଉତ୍ତରପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ଗଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ଟ୍ରକ୍ ମଧ୍ୟରେ ତଳେ ଗଞ୍ଜେଇ ଭର୍ତ୍ତି କରି ଉପରେ ଗୋ-ଖାଦ୍ୟ ରଖି ବେଆଇନ ଭାବେ ଚାଲାଣ କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲା ନାଉନ୍ ଗ୍ରାମର ଅନିଲ କୁମାର ଓ ଥେକେଡେର୍ ଗ୍ରାମର ହରିଶ୍ କୁମାର।ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି । ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ ସନ୍ତୋଷ ନାୟକଙ୍କ ଉପସ୍ଥିତିରେ ପୋଲିସ ଗଞ୍ଜେଇକୁ ଓଜନ କରିବା ସହ ସମସ୍ତ ଘଟଣାର ତଦନ୍ତ କରିଛି । ଏହି ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ଚାଲାଣ ପଛରେ କିଙ୍ଗ୍ ପିନ୍ କିଏ । ଏଥିରେ ଆଉ କେତେ ଜଣକ ସଂମ୍ପୃକ୍ତି ରହିଛି । କେତେଜଣ ଗଞ୍ଜେଇ ମାଫିଆ କଡା ସୁରକ୍ଷା ଦେଇ ଟ୍ରକ ଟିକୁ ଚାଲାଣ କରୁଥିଲେ ଏହାର ତଦନ୍ତ ଚଳାଇଛି ଗୁଣୁପୁର ପୋଲିସ ।

Leave a Reply

Your email address will not be published. Required fields are marked *