ଲଗାଣ ବର୍ଷା ସତ୍ତ୍ୱେ ପିଚୁ ଢ଼ାଳି ଚାଲିଛି ରାସ୍ତା କାମ, ବିରୋଧ କରିବାରୁ ନାଲିଆଖି ଦେଖାଇଲେ ଠିକାଦାର
ଆର,ଉଦୟଗିରି,୨୯।୫(ମନୋଜ ପାଢୀ): ଗଜପତି ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଠିକାଦାର, କର୍ମଚାରୀ ଆଦିଙ୍କ କାମ ଉପରେ କୌଣସି ପ୍ରକାରର ଲଗାମ ନାହିଁ । ଯାହାର ସଦ୍ୟ ଚିତ୍ର ଦେଖିବାକୁ ମିଳିଛି ପିଚୁ ରାସ୍ତା ତିଆରିରେ ହେଉଥିବା ବ୍ୟାପକ ଅନିୟମିତତାରେ।ସୂଚନାନୁଯାୟୀ, ଜିଲାରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ପାରଳାଖେମୁଣ୍ଡି ସହରର ଉପକଣ୍ଠ ରାମସାଗର ଛକଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପିଚୁ ରାସ୍ତା କାମ ଚାଲିଛି। ହେଲେ ସମ୍ପୃକ୍ତ ରାସ୍ତାର ଠିକାଦାର ମନମୁଖୀ ରାସ୍ତା କାମ କରୁଥିବା ଦେଖାଯାଇଛି। କାରଣ ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ହେଉଥିବା ସତ୍ତ୍ୱେ ରାମ ସାଗର ଛକ ନିକଟ ବନ ବିଭାଗର କାର୍ଯ୍ୟାଳୟ ନିକଟରେ ରାସ୍ତା କାମ କରାଯାଉଥିବା ନଜର ଆସିଛି। ପିଚୁ ଢାଳି ଠିକାଦାର ଜବରଦସ୍ତ କାମ କରି ଚାଲିଥିଲେ। ଏଭଳି ରାସ୍ତାକାମକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଠିକାଦାର ନାଲିଆଖି ଦେଖାଇଥିଲେ। ତେବେ ଅପରାହ୍ନ ୨ଟାରୁ ଲଗାତାର ପାରଳାଖେମୁଣ୍ଡିରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଯଦି ପିଚୁ ପକାଇ କାମ କରାଯାଏ ତେବେ ରାସ୍ତାର ସ୍ଥାୟିତ୍ୱ କିଭଳି ହେବ ତାହା ସହଜେ ଅନୁମେୟ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନେ କୌଣସି ଜବାବ ରଖି ନ ଥିଲେ। ତେବେ ଏଠାରେ ଲୋକଙ୍କ ଅର୍ଥକୁ କିଭଳି ଅସାଧୁ ଠିକାଦାର ଯନ୍ତ୍ରୀ ଓ କର୍ମଚାରୀ ଆତ୍ମସାତ କରୁଛନ୍ତି ତାହା ସ୍ପଷ୍ଟ ହୋଇଛି।
