‘ଅପରେସନ୍ ସିନ୍ଦୂର’ ଆରମ୍ଭ !ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ ।

ଖୋଜି ଖୋଜି ଆତଙ୍କୀଙ୍କୁ ମାରିଲା ଭାରତ, ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ । ପହଲଗାମ୍ ହମଲାର ପ୍ରତିଶୋଧ ନେଲା ଭାରତ । ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରି ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାର କିଛି ଦିନ ପରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ।ଏହି ଆକ୍ରମଣ ପରେ ନୂଆଦିଲ୍ଲୀରେ ବୈଠକ ଜାରି ରହିଛି। ପ୍ରତିରକ୍ଷାମନ୍ତ୍ରାଳୟରେ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ପହଞ୍ଚିଛନ୍ତି। ତେଣେ ଭାରତର ବାୟୁସେନା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ତେଣେ କୁପଓ୍ବାଡ଼ା ଜିଲ୍ଲାରେ ଗୁଳିଗୋଳା ବର୍ଷା ଜାରି ରହିଛି। ଭାରତ ଯୁଦ୍ଧ ଆରମ୍ଭ କରିଦେଇଥିବା ନେଈ ପାକିସ୍ତାନରେ ଲଗାତାର ଘୋଷଣା କରାଯାଉଛି। ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନରେ ହାହାକାର ଦେଖିବାକୁ ମିଳିଛି। ଲାହୋର ବିମାନବନ୍ଦରକୁ ସଂପୂର୍ଣ୍ଣରୂପେ ସିଲ୍ କରିଦିଆଯାଇଛି। ଉରି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷା ଜାରି କରାଯାଉଛି।ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ଆତଙ୍କବାଦୀଙ୍କ ୫ଟି ଠିକଣା ଉପରେ ଆକ୍ରମଣ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ଶରିଫ୍ କହିଛନ୍ତି ଯେ ଭାରତର ଆକ୍ରମଣର କଡ଼ା ଜବାବ୍ ଦେବ ପାକିସ୍ତାନୀ ସେନା। ସାରା ପାକିସ୍ତାନବାସୀ ସେନା ସହିତ ଅଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ସକାଳ ସାଢେ ୧୦ଟା ବେଳେ ଜରୁରୀ ବୈଠକ ଡାକିଛନ୍ତି। ଖାଲି ସେତିକି ନୁହେଁ, ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏମର୍ଜେନ୍ସି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *