ଜିଲ୍ଲାରେ ନିମନ୍ତ୍ରିତ ହେଲେ ପାଞ୍ଚ ଓ ଛଅ ବର୍ଷର ଶିଶୁ
ରାୟଗଡା ତା-୨୦-୩-୨୦୨୫ ଆଗାମୀ ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟରେ ଅନୁଷ୍ଠିତ ହେବ ପ୍ରବେଶ ଉତ୍ସବ ଓ ଖଡିଛୁଆଁ । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିମନ୍ତ୍ରଣ ପତ୍ର ଜାରି କରିଛନ୍ତି। ଗୁରୁବାର ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ କାମ୍ପ ମାଲିଗାଁ ଠାରେ ଚିହ୍ନଟିକୃତ ଶିଶୁମାନଙ୍କ ପିତା ମାତା ଓ ଅଭିଭାବକ ଉପସ୍ଥିତିରେ ପ୍ରବେଶ ଉତ୍ସବରେ ବିଦ୍ୟାଳୟରେ ଉପସ୍ଥିତ ହେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ସାଥିରେ ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ସ୍ଥାନୀୟ ସରପଞ୍ଚ କବିତା ହୁଇକା, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସ୍ଥାନୀୟ କ୍ଲଷ୍ଟର ସଂଯୋଜିକା ସୌମ୍ୟା ପ୍ରିୟଦର୍ଶିନୀ, ସ୍ଥାନୀୟ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଶିଶୁଙ୍କ ଘରକୁ ଘର ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା। ଆସନ୍ତା ୨୮ ତାରିଖ ମଧ୍ୟରେ ସମସ୍ତ ଯୋଗ୍ୟ ଶିଶୁଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବ । ଚଳିତ ବର୍ଷ ପାଞ୍ଚ ବର୍ଷର ଶିଶୁ ଶିଶୁବାଟିକାରେ ଏବଂ ଛଅ ବର୍ଷର ଶିଶୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଇପାରିବେ । ଆଗାମୀ ସେପ୍ଟେମ୍ବର ମାସ ଏକ ତାରିଖକୁ ଯୋଗ୍ୟତା ତାରିଖ ରୂପେ ହିସାବ ହେବ ଏବଂ ସେମାନେ ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟ ଯିବେ । ପିଲାଙ୍କ ନାମଲେଖାକୁ ସ୍ମରଣୀୟ କରିବା ନିମନ୍ତେ ବିଦ୍ୟାଳୟ ସ୍ତରରେ ଆକର୍ଷଣୀୟ ଓ ଶିକ୍ଷଣିୟ କାର୍ଯ୍ୟକ୍ରମର ଆୟୋଜନ କରିବା ନିମନ୍ତେ ପ୍ରତି ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଅଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାହକ ପ୍ରକାଶ କରିଛନ୍ତି।ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
